
Read in English | हिंदी | বাংলা | தமிழ் | తెలుగు | മലയാളം | ગુજરાતી | मराठी | ಕನ್ನಡ | অসমীয়া
ରାମକୃଷ୍ଣ ସଂଘରେ ଯୋଗଦେବା ବିଷୟରେ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ
ଶ୍ରୀରାମକୃଷ୍ଣ ଏବଂ ସ୍ୱାମୀ ବିବେକାନନ୍ଦଙ୍କ ପ୍ରେରଣାଦାୟୀ ଜୀବନ ଓ ଶିକ୍ଷା ସମ୍ପର୍କରେ ଜାଣିବା ପରେ ଅନେକ ଯୁବକ ରାମକୃଷ୍ଣ ସଂଘରେ ସନ୍ନ୍ୟାସ-ଜୀବନ ଆପଣେଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । କେହି ହୁଏତ ୟୁଟ୍ୟୁବ୍ରେ ବେଦାନ୍ତ ଉପରେ ଏକ ସୁଉପସ୍ଥାପିତ ଆଲୋଚନା ଶୁଣିବା ପରେ ତାଙ୍କ ମନରେ ସଂସାର ତ୍ୟାଗ କରିବାର ଆଗ୍ରହ ଆସିପାରେ । ଜାଗତିକ ସାଫଲ୍ୟ ଓ ସମ୍ପର୍କରେ ମୋହଭଙ୍ଗ ହେବା ମଧ୍ୟ କିଛି ଲୋକଙ୍କୁ ମଠର ଦ୍ୱାର ଆଡ଼କୁ ଟାଣି ଆଣେ । ତା’ପରେ କିଛି ଦୟାଳୁ ଲୋକ ଅଛନ୍ତି, ଯେଉଁମାନେ ରାମକୃଷ୍ଣ ସଂଘର ସନ୍ନ୍ୟାସୀମାନଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟରେ ପ୍ରଭାବିତ ହୁଅନ୍ତି ଏବଂ ସଂଘର ସେବା କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରିବାକୁ ଚାହାଁନ୍ତି । କାରଣ ଯାହା ବି ହେଉନା କାହିଁକି, ରାମକୃଷ୍ଣ ସଂଘରେ ଯୋଗଦେବା ପୂର୍ବରୁ ସେମାନଙ୍କୁ ଅନେକ କଥା ଅତି ଯତ୍ନସହକାରେ ବିଚାର କରିବାକୁ ପଡ଼ିବ । ଏହିପରି ଭାବୀ ସନ୍ନ୍ୟାସୀମାନଙ୍କୁ ଏକ ନିର୍ଦ୍ଦିଷ୍ଟ ତଥା ସର୍ବୋତ୍କୃଷ୍ଟ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବା ପାଇଁ, ଏହି ବିଷୟଟିକୁ ଅତି ପ୍ରାଞ୍ଜଳ ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ଏଠାରେ ଆଲୋଚନା କରାଯାଇଛି ।
୧. ରାମକୃଷ୍ଣ ସଂଘ କ’ଣ ?
ଏହି ପ୍ରସଙ୍ଗରେ, ‘ସଂଘ’ କହିଲେ ଏକତ୍ର ରହୁଥିବା ଏବଂ ଗୋଟିଏ ସାଧାରଣ ବିଷୟରେ ନିଷ୍ଠା ଓ ଆନୁଗତ୍ୟ ରଖିଥିବା ସନ୍ନ୍ୟାସୀଙ୍କ ଗୋଷ୍ଠୀକୁ ବୁଝାଏ । ‘‘ରାମକୃଷ୍ଣ ସଂଘ’’ ହେଉଛି ସନ୍ନ୍ୟାସୀମାନଙ୍କର ଏକ ସୁନିର୍ଦ୍ଦିଷ୍ଟ ସଂଗଠନ, ଯାହାର ଉତ୍ପତ୍ତି ଶ୍ରୀରାମକୃଷ୍ଣ ଓ ତାଙ୍କର ବିଶିଷ୍ଟ ଶିଷ୍ୟମାନଙ୍କ, ବିଶେଷ କରି ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ହୋଇଛି । ଏଠାରେ ଶ୍ରୀମା’ ସାରଦାଦେବୀଙ୍କ କଥା ଉଲ୍ଲେଖ କରାଯିବା ଉଚିତ, ଯାହାଙ୍କର ଆଧ୍ୟାତ୍ମିକତା ଶ୍ରୀରାମକୃଷ୍ଣଙ୍କ ସମସ୍ତରର ଥିଲା ଏବଂ ଯିଏ ଆରମ୍ଭରୁ ତିନି ଦଶନ୍ଧିରୁ ଅଧିକ ସମୟ ଧରି ମାତୃସମ ସ୍ନେହ ଏବଂ ଆଧ୍ୟାତ୍ମିକ ମାର୍ଗଦର୍ଶନ ଦେଇ ସଂଘକୁ ପରିଚାଳିତ କରିଥିଲେ । ତାଙ୍କୁ ସଂଘର ‘‘ସଂଘ-ଜନନୀ’’ ବୋଲି କୁହାଯାଏ । ବ୍ୟାବହାରିକ ଦୃଷ୍ଟିକୋଣରୁ, ‘ରାମକୃଷ୍ଣ ସଂଘ’ କହିଲେ ‘ରାମକୃଷ୍ଣ ମଠ’ ଓ ‘ରାମକୃଷ୍ଣ ମିଶନ’, ଏହି ଦୁଇଟି ପଞ୍ଜୀକୃତ ସଂସ୍ଥାକୁ ବୁଝାଏ, ଯାହାର ସାଧାରଣ ମୁଖ୍ୟ କାର୍ଯ୍ୟାଳୟ ବେଲୁଡ଼ ମଠରେ ଅବସ୍ଥିତ ଏବଂ ଏହାର ବିଶ୍ୱବ୍ୟାପୀ ୩୦୦ ରୁ ଅଧିକ ଶାଖା ରହିଛି । ଏହି ଦୁଇଟି ସଂଗଠନର ଇତିହାସ, ଆଦର୍ଶ ଏବଂ କାର୍ଯ୍ୟକଳାପ ବିଷୟରେ ଅଧିକ ଜାଣିବା ପାଇଁ ଆମ ୱେବସାଇଟ୍ <belurmath.org> ପରିଦର୍ଶନ କରନ୍ତୁ ।
୨. ରାମକୃଷ୍ଣ ସଂଘରେ “ଯୋଗଦେବା”ର ଅର୍ଥ କ’ଣ ?
ରାମକୃଷ୍ଣ ସଂଘରେ ଯୋଗଦେବାର ଅର୍ଥ ହେଉଛି ଜଣଙ୍କର ପରିବାର ଓ ବନ୍ଧୁବାନ୍ଧବ, ବୃତ୍ତି ଓ ଉପଲବ୍ଧି, ସମସ୍ତ ପାର୍ଥିବ ସୁଖ, ସ୍ୱାର୍ଥ ଓ ଚିନ୍ତାକୁ ପଛରେ ପକାଇ ସନ୍ନ୍ୟାସ-ଜୀବନ ଆପଣେଇବା । ବ୍ୟକ୍ତିଜଣକ ଏଣିକି ରାମକୃଷ୍ଣ ସଂଘର ଏକ ମଠ ବା ଆଶ୍ରମରେ ରହିବେ ଏବଂ ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ଆଧ୍ୟାତ୍ମିକ ଅନୁସନ୍ଧାନ ଓ ନିଃସ୍ୱାର୍ଥ ସେବାରେ ଉତ୍ସର୍ଗ କରିବେ ।
୩. ରାମକୃଷ୍ଣ ସଂଘରେ ସନ୍ନ୍ୟାସୀ ହେବା ପାଇଁ ଅତ୍ୟାବଶ୍ୟକ ସର୍ତ୍ତଗୁଡ଼ିକ କ’ଣ ?
ଆଗ୍ରହୀ ଯୁବକମାନେ (ଧ୍ୟାନ ଦିଅନ୍ତୁ : ମହିଳା ନୁହନ୍ତି) ଯେଉଁମାନେ ଅନ୍ତତଃ ପକ୍ଷେ ସ୍ନାତକ ଏବଂ ୧୮ ରୁ ୨୮ ବର୍ଷ ବୟସ ମଧ୍ୟରେ ହୋଇଥିବେ, ସେମାନେ ରାମକୃଷ୍ଣ ସଂଘରେ ଯୋଗଦେବାକୁ ଯୋଗ୍ୟ ଅଟନ୍ତି । ଇଞ୍ଜିନିୟରିଂ / ମେଡିକାଲ୍ ସ୍ନାତକଧାରୀ ଓ ସ୍ନାତକୋତ୍ତରମାନଙ୍କ ପାଇଁ ସର୍ବାଧିକ ବୟସ ସୀମା ହେଉଛି ୩୦ ବର୍ଷ ଏବଂ ପାଶ୍ଚାତ୍ୟ ଦେଶର ଲୋକଙ୍କ ପାଇଁ ୩୬ ବର୍ଷ । ଅଧିକ ବିବରଣୀ ପାଇଁ, ଦୟାକରି ମୁଖ୍ୟ କାର୍ଯ୍ୟାଳୟ (ବେଲୁଡ଼ ମଠ) ସହିତ <mail@rkmm.org> ଠିକଣାରେ ଯୋଗାଯୋଗ କରନ୍ତୁ ।
୪. ସନ୍ନ୍ୟାସ-ଜୀବନ ଗ୍ରହଣ କରିବାକୁ ଆଗ୍ରହୀ ଯୁବତୀମାନଙ୍କ ପାଇଁ କ’ଣ ବିକଳ୍ପ ଅଛି ?
ରାମକୃଷ୍ଣ ସଂଘ କେବଳ ପୁରୁଷମାନଙ୍କ ପାଇଁ ଏକ ସନ୍ନ୍ୟାସୀ ସଂଗଠନ । ମହିଳାମାନଙ୍କ ପାଇଁ ଏକ ସମାନ୍ତରାଳ ସଂଗଠନ ରହିଛି ଯାହାର ନାମ ହେଉଛି ଶ୍ରୀ ସାରଦା ମଠ, ଯାହା ଆମର ସମାନ ଆଦର୍ଶ ଅନୁସରଣ କରେ । ଆଗ୍ରହୀ ମହିଳାମାନେ ନିଜେ ସାରଦା ମଠର ମୁଖ୍ୟ କାର୍ଯ୍ୟାଳୟ, ଦକ୍ଷିଣେଶ୍ୱର, କଲିକତା ସହିତ ଯୋଗାଯୋଗ କରିପାରିବେ । ଇମେଲ୍ ଠିକଣା: <saradamath.office@gmail.com>
୫. ମୁଁ ବିବାହିତ । ମୁଁ ରାମକୃଷ୍ଣ ସଂଘରେ ଯୋଗ ଦେଇପାରିବି କି ?
ଆମେ ଦୁଃଖିତ ! କେବଳ ଅବିବାହିତ ପୁରୁଷମାନଙ୍କୁ ରାମକୃଷ୍ଣ ସଂଘରେ ଯୋଗଦେବାକୁ ଅନୁମତି ଦିଆଯାଏ । ଜଣେ ବ୍ୟକ୍ତି ଯିଏ ବିବାହ କରିଥିଲେ କିନ୍ତୁ ବର୍ତ୍ତମାନ ଛାଡ଼ପତ୍ର ନେଇଛନ୍ତି, ସେ ମଧ୍ୟ ଯୋଗ୍ୟ ନୁହନ୍ତି । କିନ୍ତୁ ଆପଣ ଜଣେ ଭକ୍ତ ବା ସ୍ୱେଚ୍ଛାସେବୀ ଭାବରେ ଆମ ସହିତ ଯୁକ୍ତ ହୋଇପାରିବେ । ଦୟାକରି ଆପଣ ରହୁଥିବା ସ୍ଥାନର ନିକଟତମ ଆମ ଶାଖା କେନ୍ଦ୍ରର ମୁଖ୍ୟଙ୍କ ସହିତ ଯୋଗାଯୋଗ କରନ୍ତୁ ।
୬. ଯେଉଁ ବ୍ୟକ୍ତି ସବୁକିଛି ତ୍ୟାଗ କରିବାକୁ ଚାହୁଁଛନ୍ତି, ତାଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତାକୁ କାହିଁକି ଏତେ ଗୁରୁତ୍ୱ ଦିଆଯାଏ ?
ଯଦିଓ ଶିକ୍ଷାଗତ ଯୋଗ୍ୟତା ଆଧ୍ୟାତ୍ମିକ ବିକାଶ ପାଇଁ ଏକ ପୂର୍ବସର୍ତ୍ତ ନୁହେଁ, ତଥାପି ଏହା ନିମ୍ନଲିଖିତ କାରଣଗୁଡ଼ିକ ପାଇଁ ଆବଶ୍ୟକ:
(କ) ସନ୍ନ୍ୟାସ-ଜୀବନ ଗ୍ରହଣ କରିବା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏବଂ ଏହି ନିଷ୍ପତ୍ତିରେ ପହଞ୍ଚିବା ପାଇଁ ଏକ ନିର୍ଦ୍ଦିଷ୍ଟ ମାନସିକ ପରିପକ୍ୱତା ଆବଶ୍ୟକ । ଅନ୍ୟାନ୍ୟ ବିଷୟ ସହିତ ପ୍ରଚଳିତ ଶିକ୍ଷା ସାଧାରଣତଃ ଏହି ପରିପକ୍ୱତା ବିକାଶ କରିବାରେ ସାହାଯ୍ୟ କରେ ।
(ଖ) ରାମକୃଷ୍ଣ ସଂଘର ସନ୍ନ୍ୟାସୀମାନଙ୍କୁ ସ୍କୁଲ୍, କଲେଜ୍, ଡାକ୍ତରଖାନା ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ପରିଚାଳନା କରିବାକୁ ପଡ଼ିଥାଏ, ଯାହା ବିଭିନ୍ନ ଉପାୟରେ ଲୋକଙ୍କ ସେବା କରେ । ସେମାନଙ୍କୁ ଜାତୀୟ ବା ଆନ୍ତର୍ଜାତୀୟ ଫୋରମ୍ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବକ୍ତୃତା ଦେବା ପାଇଁ ମଧ୍ୟ ଆମନ୍ତ୍ରିତ କରାଯାଏ । ଏକ ଉତ୍ତମ ଶିକ୍ଷାଗତ ଯୋଗ୍ୟତା ଏହି ସବୁକୁ ଅଧିକ ଦକ୍ଷ ଭାବରେ ପରିଚାଳନା କରିବାରେ ସାହାଯ୍ୟ କରେ ।
(ଗ) କିଛି ଯୁବକ ଶେଷ ଆଶ୍ରୟ ଭାବରେ କିମ୍ବା ହତାଶ ହୋଇ ସନ୍ନ୍ୟାସ-ଜୀବନ ବାଛିଥିବା ପରି ଲାଗନ୍ତି । ହୁଏତ ସେମାନେ ଅଧ୍ୟୟନ ଏବଂ ପରୀକ୍ଷାକୁ ଭୟ କରୁଥିବେ । ହୁଏତ ସେମାନେ ନିଜର ଦୁର୍ବଳ ଶିକ୍ଷାଗତ ଯୋଗ୍ୟତା କିମ୍ବା ଅନ୍ୟ କୌଣସି ତ୍ରୁଟି ଯୋଗୁଁ ସେମାନଙ୍କ ମନପସନ୍ଦର ଚାକିରି ପାଇବାରେ ବିଫଳ ହୋଇଥିବେ । ଏକ ଉତ୍ତମ ଶିକ୍ଷାଗତ ରେକର୍ଡ଼ ଓ ବୟସ ସୀମା ଉପରେ ଜୋର୍ ଦେବା ଦ୍ୱାରା, ଆମେ ଆଶା କରୁଛୁ ଯେ ଏପରି ଲୋକମାନେ ସଂଘରେ ପ୍ରବେଶ କରିପାରିବେ ନାହିଁ!
୭. ମୁଁ ଜଣେ କଲେଜ/ବିଶ୍ୱବିଦ୍ୟାଳୟ ଛାତ୍ର । ମୁଁ ବର୍ତ୍ତମାନ ସଂଘରେ ଯୋଗ ଦେଇପାରିବି କି ?
ଏହା ଦୃଢ଼ ଭାବରେ ସୁପାରିଶ କରାଯାଏ ଯେ ଆପଣ ନିଜର ଅଧ୍ୟୟନ ଜାରି ରଖନ୍ତୁ ଏବଂ ଯେଉଁ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି ତାହା ଶେଷ କରନ୍ତୁ । ଆପଣ ଏହା ପରେ ଖୁବ୍ ଶୀଘ୍ର ସଂଘରେ ଯୋଗ ଦେଇପାରିବେ । ଆପଣଙ୍କର ଅଧ୍ୟୟନ ଆପଣଙ୍କ ସଂସାର-ତ୍ୟାଗ ଭାବନାର ପ୍ରଥମ ବଳି ହେବା ଉଚିତ ନୁହେଁ ! ଅଧ୍ୟୟନ ସମାପ୍ତ ନ ହେବା ପର୍ଯ୍ୟନ୍ତ, ଆପଣ ଆମର କୌଣସି ଶାଖା ସହିତ ଯୁକ୍ତ ରହିପାରିବେ ଏବଂ ଆପଣଙ୍କ ଅବସର ସମୟରେ ସେଠାରେ ଜଣେ ସ୍ୱେଚ୍ଛାସେବୀ ଭାବରେ ସେବା ପ୍ରଦାନ କରିପାରିବେ ।
୮. ମୁଁ ସଂଘରେ ଯୋଗ ଦେବା ପରେ ମୋର କଲେଜ କିମ୍ବା ଉଚ୍ଚଶିକ୍ଷା ଜାରି ରଖିପାରିବି କି ?
ସାଧାରଣତଃ, ପ୍ରାର୍ଥୀମାନେ ମଠରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କର ଅସମାପ୍ତ ଶିକ୍ଷା ସମାପ୍ତ କରିବେ ବୋଲି ଆଶା କରାଯାଏ ।
୯. ମୋର କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଅଛି । ଏହା ମୋର ସଂଘରେ ଯୋଗଦେବାରେ ବାଧା ସୃଷ୍ଟି କରିବ କି ?
ଯୋଗଦେବା ପାଇଁ ଉତ୍ତମ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ, କାରଣ ଜଣେ ସନ୍ନ୍ୟାସୀ ଅନ୍ୟମାନଙ୍କ ଦ୍ୱାରା ସେବା ପାଇବା ଅପେକ୍ଷା ଅନ୍ୟମାନଙ୍କୁ ସେବା କରିବେ ଏହା ହିଁ ବାଞ୍ଛନୀୟ । ତେଣୁ, ଯୋଗଦାନ ପ୍ରକ୍ରିୟାର ଏକ ଅଂଶ ଭାବରେ, ପ୍ରାର୍ଥୀମାନଙ୍କୁ ସେମାନଙ୍କର ଶାରୀରିକ ସୁସ୍ଥତା (Physical Fitness) ପ୍ରମାଣ କରିବା ପାଇଁ ବାଧ୍ୟତାମୂଳକ ଭାବରେ ଏକ ସମ୍ପୂର୍ଣ୍ଣ ଡାକ୍ତରୀ ପରୀକ୍ଷା କରିବାକୁ ପଡ଼ିଥାଏ । ଦୀର୍ଘକାଳୀନ ଏବଂ ଦୁର୍ବଳ କରୁଥିବା ରୋଗ (ଶାରୀରିକ ବା ମାନସିକ) ଥିବା ବ୍ୟକ୍ତିବିଶେଷଙ୍କୁ ସଂଘରେ ଯୋଗଦେବାକୁ ଅନୁମତି ଦିଆଯାଏ ନାହିଁ, ଯେପରି କି ସେମାନେ ସନ୍ନ୍ୟାସ-ଜୀବନର କଷ୍ଟ ସହ୍ୟ କରିବାରେ ବିଫଳ ନ ହୁଅନ୍ତି ଏବଂ ସଂଘ ପାଇଁ ବୋଝ ନ ହୁଅନ୍ତି ।
୧୦. ମୁଁ ଶ୍ରୀରାମକୃଷ୍ଣ କିମ୍ବା ସ୍ୱାମୀ ବିବେକାନନ୍ଦଙ୍କ ବିଷୟରେ ବହି ପଢ଼ି ନାହିଁ । ମୁଁ ସଂଘରେ ଯୋଗ ଦେଇପାରିବି କି ?
ଆପଣଙ୍କ ପକ୍ଷରେ ତୁରନ୍ତ ଯୋଗଦେବା ପରାମର୍ଶଯୋଗ୍ୟ ନୁହେଁ । ଦୟାକରି ପ୍ରଥମେ ରାମକୃଷ୍ଣ-ବିବେକାନନ୍ଦ ସାହିତ୍ୟର ଅନ୍ତତଃ କିଛି ଗୁରୁତ୍ୱପୂର୍ଣ୍ଣ ବହି ପଢ଼ିବା ପାଇଁ ସମୟ ବାହାର କରନ୍ତୁ ।
୧୧. ମୁଁ ବେଦାନ୍ତକୁ ଗଭୀର ଭାବରେ ଅଧ୍ୟୟନ କରିବାକୁ ଆଗ୍ରହୀ । ମୁଁ ସଂଘରେ ଯୋଗ ଦେବା ପରେ ଏହା କରିପାରିବି କି ?
ହଁ, ଭଗବଦ୍ଗୀତା ଏବଂ ଉପନିଷଦ୍ ଭଳି ବୈଦିକ ଶାସ୍ତ୍ର ଅଧ୍ୟୟନ କରିବା ପାଇଁ ସଂଘରେ ଅନେକ ସୁଯୋଗ ଉପଲବ୍ଧ । ଯୋଗଦେବାର ପ୍ରାୟ ତିନି ବର୍ଷ ପରେ, ପ୍ରତ୍ୟେକ ନବାଗତଙ୍କୁ ରାମକୃଷ୍ଣ ମଠ ଓ ମିଶନର ମୁଖ୍ୟ କାର୍ଯ୍ୟାଳୟ ବେଲୁଡ଼ ମଠରେ ଥିବା ବ୍ରହ୍ମଚାରୀ ପ୍ରଶିକ୍ଷଣ କେନ୍ଦ୍ର ବା ପ୍ରୋବେସନର୍ସ ଟ୍ରେନିଂ ସେଣ୍ଟର୍ (ସଂକ୍ଷେପରେ ଟିସି) ଠାରେ ଏକ ଦ୍ୱି-ବାର୍ଷିକ ପାଠ୍ୟକ୍ରମ ଅଧ୍ୟୟନ କରିବାକୁ ପଡ଼ିଥାଏ, ଯେଉଁଠାରେ ବେଦାନ୍ତ ସମେତ ଅନେକ ଧାର୍ମିକ ବିଷୟ ଶିକ୍ଷା ଦିଆଯାଏ ।
ପ୍ରକୃତପକ୍ଷେ ଦେଖିବାକୁ ଗଲେ, ଶ୍ରୀରାମକୃଷ୍ଣ, ଶ୍ରୀମା’ ସାରଦାଦେବୀ, ସ୍ୱାମୀ ବିବେକାନନ୍ଦ ଏବଂ ଅନ୍ୟାନ୍ୟ ସନ୍ନ୍ୟାସୀ ଶିଷ୍ୟମାନଙ୍କ ଜୀବନ ଓ ଶିକ୍ଷା ମଧ୍ୟ ଏକ ପ୍ରକାର ବେଦାନ୍ତ ହିଁ ଅଟେ, କାରଣ ସେମାନେ ସେମାନଙ୍କ ଜୀବନରେ ବୈଦିକ ସତ୍ୟକୁ ଅନୁଭବ କରିଥିଲେ ଏବଂ ତାହାର ପ୍ରତିନିଧିତ୍ୱ କରିଥିଲେ । ସେମାନଙ୍କୁ ଅନୁସରଣ କରି, ଆମ ସଂଘର ସନ୍ନ୍ୟାସୀମାନଙ୍କୁ ଶାସ୍ତ୍ରକୁ କେବଳ ପାଣ୍ଡିତ୍ୟ ହାସଲ କରିବା ପାଇଁ ନୁହେଁ, ବରଂ ଶାସ୍ତ୍ରୀୟ ସତ୍ୟତାରେ ଦୃଢ଼ ବିଶ୍ୱାସ ଏବଂ ଶେଷରେ ଏକ ପ୍ରତ୍ୟକ୍ଷ ଅନୁଭୂତି ପାଇଁ ଅଧ୍ୟୟନ କରିବାକୁ ଶିକ୍ଷା ଦିଆଯାଏ । ତେଣୁ, ଟିସିରେ ତଥା ସମଗ୍ର ସଂଘରେ ଜୀବନଶୈଳୀ ଏପରି ସ୍ଥିର କରାଯାଇଛି ଯେ ସନ୍ନ୍ୟାସୀ ଓ ନବାଗତମାନଙ୍କର ଆଧ୍ୟାତ୍ମିକ ବିକାଶ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇପାରିବ ।
୧୨. ମୁଁ ଜନ୍ମସୂତ୍ରରେ ହିନ୍ଦୁ ନୁହେଁ । ମୁଁ ସଂଘରେ ଯୋଗ ଦେଇପାରିବି କି ?
ଏହା ଏକ ସମସ୍ୟା ନୁହେଁ । ରାମକୃଷ୍ଣ ସଂଘ ସମସ୍ତ ଧର୍ମ, ଦେଶ ଓ ଜାତିର ଲୋକଙ୍କ ପାଇଁ ଉନ୍ମୁକ୍ତ ରହିଛି, ଯଦି ସେମାନେ ତ୍ୟାଗପୂତ ଶୁଦ୍ଧ ଜୀବନଯାପନ କରିବାକୁ ଏବଂ ଶ୍ରୀରାମକୃଷ୍ଣଙ୍କ ଆଦର୍ଶ ଗ୍ରହଣ କରିବାକୁ ପ୍ରସ୍ତୁତ ଥାଆନ୍ତି । ଶ୍ରୀରାମକୃଷ୍ଣଙ୍କ ଆଦର୍ଶ ଅନ୍ୟାନ୍ୟ କଥା ସହିତ ଏହା ମଧ୍ୟ କୁହେ ଯେ ସମସ୍ତ ଧର୍ମ ଏକ ହିଁ ସତ୍ୟ ଅଭିମୁଖେ ନେଇଯାଏ ଏବଂ ମାନବ ସେବା ହିଁ ମାଧବ ସେବା ।
୧୩. ମୁଁ କୃଷ୍ଣଙ୍କ (ବା ଶିବ, କାଳୀ, ଯୀଶୁଖ୍ରୀଷ୍ଟ ବା ଅନ୍ୟ କୌଣସି ଦେବତାଙ୍କ) ଭକ୍ତ । ମୁଁ ସଂଘରେ ଯୋଗ ଦେଇପାରିବି କି ?
ଆପଣଙ୍କୁ ସ୍ୱାଗତ ! ଯଦି ଆପଣଙ୍କର ଶ୍ରୀରାମକୃଷ୍ଣଙ୍କ ପ୍ରତି ସମ୍ମାନଜନକ ଭକ୍ତିଭାବ ଅଛି ଏବଂ ତାଙ୍କ ଶିକ୍ଷାର ସତ୍ୟତା ବିଷୟରେ ଆପଣ ନିଶ୍ଚିତ, ତେବେ ଆପଣ ସଂଘରେ ଯୋଗ ଦେଇପାରିବେ ।
୧୪. ମୁଁ ମୋ ଦେଶ, ବିଶେଷ କରି ଗରିବ ଓ ଅସହାୟ ଲୋକଙ୍କୁ ସେବା କରିବା ପାଇଁ ସଂଘରେ ଯୋଗ ଦେଇପାରିବି କି ?
ହଁ, ଆପଣ ସଂଘରେ ଯୋଗ ଦେଇପାରିବେ, ଯଦି ଆପଣ ଆପଣଙ୍କର ସେବାଭାବକୁ ବିସ୍ତାର କରିବାକୁ ଇଚ୍ଛୁକ । ଆମର ସଂଗଠନ କେବଳ ସମାଜ ସେବାରେ ନିୟୋଜିତ ଅନ୍ୟ ଏକ ବେସରକାରୀ ସଂସ୍ଥା (NGO) ନୁହେଁ । ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ପ୍ରଦତ୍ତ ଆମର ମୂଳମନ୍ତ୍ର ହେଉଛି : ‘‘ଆତ୍ମନୋ ମୋକ୍ଷାର୍ଥମ୍ ଜଗତ୍ ହିତାୟ ଚ’’ (ନିଜର ମୁକ୍ତି ଏବଂ ଜଗତର କଲ୍ୟାଣ ପାଇଁ) । ଆମ ସଂଘର ଆଧାର, ମାର୍ଗଦର୍ଶକ-ଶକ୍ତି ଓ ପରମ ଲକ୍ଷ୍ୟ ହେଉଛି ଆଧ୍ୟାତ୍ମିକତା । ଆମର ସନ୍ନ୍ୟାସୀମାନେ ସେବାକାର୍ଯ୍ୟକୁ ଆଧ୍ୟାତ୍ମିକ ସାଧନାର ଅନ୍ୟ ଏକ ଅଙ୍ଗ ଭାବରେ ବିବେଚନା କରନ୍ତି । ତେଣୁ, କେବଳ କରୁଣାପୂର୍ଣ୍ଣ ହୃଦୟ ବା ଦେଶଭକ୍ତିର ଭାବନା ନୁହେଁ, ଏହି ଆଧ୍ୟାତ୍ମିକ ଦୃଷ୍ଟିକୋଣ ହିଁ ସଂଘରେ ରହିବା ପାଇଁ ଅପରିହାର୍ଯ୍ୟ ।
୧୫. ମୁଁ ସନ୍ନ୍ୟାସୀ ହେବାକୁ ଚାହୁଁଛି । କିନ୍ତୁ ମୋ ବାପା-ମାଆ ଏହାର ବିରୋଧ କରନ୍ତି । ମୁଁ କ’ଣ କରିବି ?
ଯଦିଓ ସଂଘରେ ଯୋଗଦେବା ପାଇଁ ବାପା-ମାଆଙ୍କ ସମ୍ମତି ଥିବା ସ୍ୱାଗତଯୋଗ୍ୟ, ତଥାପି ଆମେ ଏହାକୁ ଏକ ଅପରିହାର୍ଯ୍ୟ ଆବଶ୍ୟକତା ଭାବରେ ବିବେଚନା କରୁ ନାହୁଁ, କାରଣ ଆପଣ ଜଣେ ପ୍ରାପ୍ତ ବୟସ୍କ । କେତେକ ବିରଳ କ୍ଷେତ୍ରରେ ବାପା-ମାଆମାନେ ସେମାନଙ୍କ ପୁଅକୁ ସନ୍ନ୍ୟାସୀ ହେବା ପାଇଁ ସହମତି ପ୍ରକାଶ କରିଥାଆନ୍ତି, କିନ୍ତୁ ଅଧିକାଂଶ ପ୍ରାର୍ଥୀଙ୍କୁ ସନ୍ନ୍ୟାସୀ ହେବାର ଆକାଙ୍କ୍ଷା ପୂର୍ଣ୍ଣ କରିବା ପାଇଁ ସେମାନଙ୍କ ବାପା-ମାଆଙ୍କର ବିରୋଧ ଏବଂ ବେଳେବେଳେ କ୍ରୋଧର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିଥାଏ । କିନ୍ତୁ ଯଦି ଆପଣ ଆନ୍ତରିକ ନିଶ୍ଚିତ ଯେ, ଆପଣ କୌଣସି ଦାୟିତ୍ୱ ଏଡ଼ାଇବା ପାଇଁ ନୁହେଁ, ବରଂ ପାର୍ଥିବ ସୁଖ ପ୍ରତି ପ୍ରକୃତ ଅନାସକ୍ତି ଯୋଗୁଁ ଏହି ଜୀବନ ବରଣ କରୁଛନ୍ତି, ତେବେ କୌଣସି ପରିସ୍ଥିତି ମଧ୍ୟ ଆପଣଙ୍କ ପାଇଁ ପ୍ରତିବନ୍ଧକ ସୃଷ୍ଟି କରିପାରିବ ନାହିଁ । ଏହା ମଧ୍ୟ ସତ୍ୟ ଯେ ଅଧିକାଂଶ ବାପା-ମାଆ କିଛି ବର୍ଷ ପରେ ସେମାନଙ୍କ ପୁତ୍ରର ସଂଘରେ ଯୋଗଦେବାର ନିଷ୍ପତ୍ତିକୁ ପ୍ରଶଂସା କରନ୍ତି ଏବଂ ଅନେକେ ତାଙ୍କ ପାଇଁ ଗର୍ବ ମଧ୍ୟ ଅନୁଭବ କରନ୍ତି ।
ବିରୋଧ ଓ ପ୍ରତିବନ୍ଧକ ପରିସ୍ଥିତିର ସମ୍ମୁଖୀନ ହେଲେ, ଜଣେ ଆକାଙ୍କ୍ଷୀ ଏହି ତଥ୍ୟ ହୃଦୟଙ୍ଗମ କରିବା ଉଚିତ ଯେ ସନ୍ନ୍ୟାସ ପୁରାତନ ଯୁଗର ଏକ ପ୍ରଥା ତଥା ଶାସ୍ତ୍ର-ସମର୍ଥିତ ଅନୁଷ୍ଠାନ ଅଟେ । ଜାବାଲୋପନିଷଦ୍ କୁହନ୍ତି, ‘‘ୟଦ୍ହରେବ ବିରଜେତ୍ ତଦ୍ହରେବ ପ୍ରବ୍ରଜେତ୍’’ (ଯେତେବେଳେ ଜଣେ ବୈରାଗ୍ୟ ଅନୁଭବ କରେ, ସେତେବେଳେ ହିଁ ସେ ସନ୍ନ୍ୟାସ ଗ୍ରହଣ କରିବା ଉଚିତ) ।
୧୬. ମୁଁ ଯୋଗ ଦେବା ପରେ ମୋ ବାପା-ମାଆ ଏବଂ ସମ୍ପର୍କୀୟଙ୍କ ସହିତ ଯୋଗାଯୋଗରେ ରହିପାରିବି କି ?
ପ୍ରଥମେ ପ୍ରଥମେ ଯଦି ଆବଶ୍ୟକ ହୁଏ, ଜଣେ ନବାଗତଙ୍କୁ ତାଙ୍କ ବାପା-ମାଆଙ୍କ ସହିତ କଥା ହେବାକୁ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିବାକୁ ଅନୁମତି ଦିଆଯାଏ । କିନ୍ତୁ ଜଣେ ସନ୍ନ୍ୟାସୀଙ୍କୁ ଶେଷରେ ତାଙ୍କର ପ୍ରାକ୍-ସନ୍ନ୍ୟାସ ଜୀବନରେ ଥିବା ସମସ୍ତ ଆସକ୍ତିକୁ ଛାଡ଼ିବାକୁ ପଡ଼ିଥାଏ । ଯେହେତୁ ଏହା ରାତାରାତି ସମସ୍ତଙ୍କ ଦ୍ୱାରା ହାସଲ କରାଯାଇପାରେ ନାହିଁ, ତେଣୁ ସମସ୍ତ ପାର୍ଥିବ ସମ୍ପର୍କକୁ ଧୀରେ ଧୀରେ ହ୍ରାସ କରି ଅନାସକ୍ତିର ଭାବନାକୁ ବିକଶିତ କରିବାକୁ ହେବ ।
୧୭. ମୋ ନାମରେ କିଛି ସମ୍ପତ୍ତି ଅଛି । ଯଦି ମୁଁ ଯୋଗ ଦିଏ ତେବେ ଏହାର କ’ଣ ହେବ ?
ସନ୍ନ୍ୟାସୀମାନେ ବ୍ୟକ୍ତିଗତ ସମ୍ପତ୍ତି ରଖିପାରିବେ ନାହିଁ । ହିନ୍ଦୁ ଶାସ୍ତ୍ର ଏବଂ ଆଇନଗତ ବ୍ୟାଖ୍ୟା ଉଭୟ ଏହି ବିଷୟରେ ଏକମତ । ସଂଘରେ ଯୋଗଦେବା ପରେ, ଯଦି ପୂର୍ବରୁ କରାଯାଇ ନାହିଁ, ତେବେ ଆପଣଙ୍କ ଇଚ୍ଛା ଅନୁଯାୟୀ ଆପଣଙ୍କ ନାମରେ ଥିବା ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିକୁ ଯଥାଶୀଘ୍ର ଦାନ, ବଣ୍ଟନ ଆଦି ବ୍ୟବସ୍ଥା କରି ସମାଧାନ କରିବାକୁ ପଡ଼ିବ ।
୧୮. ମୁଁ ସଂଘରେ ଦରମା ପାଇବି କି ?
ଆମ ସଂଘରେ ସନ୍ନ୍ୟାସୀମାନଙ୍କୁ କୌଣସି ଦରମା ଦିଆଯାଏ ନାହିଁ କାରଣ ଏହା ସନ୍ନ୍ୟାସ-ଆଦର୍ଶର ପରିପନ୍ଥୀ । ସନ୍ନ୍ୟାସ-ଜୀବନ ଦରମା ଆଶାରେ ଚାକିରି କରିବା ପରି ନୁହେଁ । ଏଠାରେ ଆପଣ କୌଣସି ଭୌତିକ ଲାଭ ନ ଖୋଜି ସ୍ୱେଚ୍ଛାକୃତ ଭାବରେ ଏବଂ ସମ୍ପୂର୍ଣ୍ଣ ରୂପେ ଆପଣଙ୍କ ଶରୀର ଓ ମନ, ଆପଣଙ୍କର ପ୍ରତିଭା ଏବଂ କାର୍ଯ୍ୟକ୍ଷମତାକୁ ଉପଯୋଗ କରିବେ ।
୧୯. ଯଦି ମୁଁ ସଂଘରେ ଯୋଗ ଦିଏ, ତେବେ ମୋର ବ୍ୟକ୍ତିଗତ ଆବଶ୍ୟକତା କିଏ ବୁଝିବ ? ମୁଁ ବୃଦ୍ଧ ହେଲେ ମୋର ଯତ୍ନ କିଏ ନେବ ?
ସନ୍ନ୍ୟାସ-ଜୀବନ ଗ୍ରହଣ କରିବା ସମ୍ପୂର୍ଣ୍ଣ ରୂପେ ଈଶ୍ୱରଙ୍କ ଉପରେ ନିର୍ଭରତାକୁ ସୂଚାଏ । ତଥାପି, ସଂଘ ଆପଣଙ୍କର ଯତ୍ନ ନେବ ଏବଂ ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସମର୍ଥନ କରିବ । ସେହି ବିଷୟରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।
୨୦. ସଂଘରେ ଯୋଗଦେବା ପରେ ମୁଁ କିପରି ପୋଷାକ ପିନ୍ଧିବି ?
ସଂଘର ସଦସ୍ୟମାନେ ସାଧାରଣତଃ ଏକ ଧୋତି, ପଞ୍ଜାବୀ ଓ ଉତ୍ତରୀୟ ପିନ୍ଧନ୍ତି । ଏହି ପୋଷାକର ରଙ୍ଗ ନବାଗତ ଓ ବ୍ରହ୍ମଚାରୀଙ୍କ କ୍ଷେତ୍ରରେ ଧଳା ଏବଂ ସନ୍ନ୍ୟାସୀଙ୍କ କ୍ଷେତ୍ରରେ ଗେରୁଆ ହୋଇଥାଏ ।
୨୧. ଯଦି ମୁଁ ଆସନ୍ତାକାଲି ଯୋଗ ଦିଏ, ତେବେ ସମ୍ପୂର୍ଣ୍ଣ ଅର୍ଥରେ ସନ୍ନ୍ୟାସୀ ହେବାକୁ କେତେ ସମୟ ଲାଗିବ ?
ଏଥିପାଇଁ ସାଧାରଣତଃ ସର୍ବନିମ୍ନ ନଅ ବର୍ଷ ଲାଗିଥାଏ । ଏହି ସମୟ ପ୍ରାର୍ଥୀଙ୍କୁ ଚୂଡ଼ାନ୍ତ ସନ୍ନ୍ୟାସ ବ୍ରତ ଗ୍ରହଣ କରିବା ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ଦିଆଯାଏ । ଯେତେବେଳେ ଆପଣ ସନ୍ନ୍ୟାସରେ ଦୀକ୍ଷିତ ହେବେ, ଆପଣ “ଆନନ୍ଦ”ରେ ଶେଷ ହୋଇଥିବା ଏକ ନୂତନ ନାମ ଓ “ସ୍ୱାମୀ” ଉପାଧି ଲାଭ କରିବେ ।
୨୨. ସଂଘରେ ଯୋଗଦେବା ପରେ ମୋତେ କ’ଣ କରିବାକୁ ପଡ଼ିବ ବୋଲି ଆଶା କରାଯାଏ ?
ସଂଘରେ ଯୋଗଦେବା ପରେ, ଆପଣଙ୍କୁ ଦୁଇଟି ଆଦର୍ଶ ହାସଲ କରିବା ପାଇଁ ଆପଣଙ୍କର ସମଗ୍ର ଜୀବନ ଉତ୍ସର୍ଗ କରିବାକୁ ପଡ଼ିବ: ‘ଆତ୍ମନୋ ମୋକ୍ଷାର୍ଥମ୍ ଜଗଦ୍ଧିତାୟ ଚ’—ନିଜର ମୁକ୍ତି ଏବଂ ଜଗତର କଲ୍ୟାଣ ।
ଆପଣଙ୍କ ଜୀବନର ବାକି ସମୟ ପାଇଁ, ଆପଣ ନିଜକୁ ଆଧ୍ୟାତ୍ମିକ ଅଭ୍ୟାସ ଏବଂ ନିଃସ୍ୱାର୍ଥ ସେବାରେ ସମ୍ପୂର୍ଣ୍ଣ ଭାବରେ ନିୟୋଜିତ କରିବେ ।
- ଆଧ୍ୟାତ୍ମିକ ଅଭ୍ୟାସ କହିଲେ ଜପ, ଧ୍ୟାନ, ପ୍ରାର୍ଥନା, ପୂଜା, ସ୍ତବସ୍ତୁତି ପାଠ, ଭଜନ ଗାନ, ଆଧ୍ୟାତ୍ମିକ ସାହିତ୍ୟ ଅଧ୍ୟୟନ ଏବଂ ଅନ୍ୟାନ୍ୟ ଆଧ୍ୟାତ୍ମିକ ଅଭ୍ୟାସକୁ ବୁଝାଏ। ଏଗୁଡ଼ିକ ମଧ୍ୟରେ, ଜପ ଏବଂ ଧ୍ୟାନର ଦୈନିକ ଅଭ୍ୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଗୁଡ଼ିକ ମଧ୍ୟରୁ କିଛି ଆପଣ ନିଜେ କରିବେ, ଅନ୍ୟଗୁଡ଼ିକ ଆଶ୍ରମରେ ସନ୍ନ୍ୟାସୀ ଭାଇମାନଙ୍କ ସହିତ ମିଶି କରିବେ ।
- ଏହି ଅଭ୍ୟାସଗୁଡ଼ିକ ସହିତ, ଆପଣ ସମାନ ଉତ୍ସାହ ଏବଂ ଆନ୍ତରିକତା ସହିତ ନିଃସ୍ୱାର୍ଥପର କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ, ଏହିପରି ଭାବରେ ଆମ ସଂଘର ସେବା କାର୍ଯ୍ୟକଳାପରେ ଆପଣ ଭୂମିକା ଗ୍ରହଣ କରିବେ।
- ଆପଣ ମଠ ପାଇଁ ହେଉ କିମ୍ବା ବୃହତ୍ତରସ୍ତରରେ ଲୋକଙ୍କ ସେବା ପାଇଁ ହେଉ, ଯାହା କାର୍ଯ୍ୟ କରିବେ, ତାହାକୁ ଉପାସନା ଭାବରେ କରିବେ ବୋଲି ଆଶା କରାଯାଏ, ଯାହାଫଳରେ ଆପଣଙ୍କ କାର୍ଯ୍ୟ ଆଧ୍ୟାତ୍ମିକ ସାଧନାର ଅନ୍ୟ ଏକ ଅଙ୍ଗ ହେବ।
ଏହି ଭାବରେ ଦିନ ଅତିବାହିତ କରି ଆପଣ ପବିତ୍ରତା, ଭକ୍ତି, ଅନାସକ୍ତି, ନିଃସ୍ୱାର୍ଥପରତା, ସତ୍ୟବାଦିତା ଓ ବ୍ରହ୍ମଚର୍ଯ୍ୟ ଆଦି ଦୈବୀଗୁଣରେ ବିଭୂଷିତ ହୋଇ ଈଶ୍ୱର-ଉପଲବ୍ଧି କରିବାକୁ ଚେଷ୍ଟା କରିବେ ।
୨୩. ରାମକୃଷ୍ଣ ସଂଘରେ ଆଧ୍ୟାତ୍ମିକ ସାଧନାର ପଦ୍ଧତି କ’ଣ ?
ଏଠାରେ ଚାରି ଯୋଗ, ଯଥା : କର୍ମଯୋଗ, ଭକ୍ତିଯୋଗ, ରାଜଯୋଗ ଏବଂ ଜ୍ଞାନଯୋଗର ଏକ ସୁସଂଗତ ମିଶ୍ରଣ ଅନୁସରଣ କରାଯାଏ । ଏହି କାର୍ଯ୍ୟକ୍ରମ ବ୍ୟକ୍ତିତ୍ୱର ସର୍ବାଙ୍ଗୀଣ ବିକାଶରେ ସହାୟକ ହୁଏ ! ବାସ୍ତବରେ, ଯଦି କେହି ଏହି ସଂଘରେ ଅଭ୍ୟାସ କରାଯାଉଥିବା ଜୀବନ ଶୈଳୀକୁ (ପୂର୍ବ ପ୍ରଶ୍ନର ଉତ୍ତରରେ ବର୍ଣ୍ଣିତ) ଅବିଚଳିତ ବିଶ୍ୱାସ ଓ ଶ୍ରଦ୍ଧାପୂର୍ବକ ଅନୁସରଣ କରନ୍ତି, ତେବେ ସେ ଅନାୟାସରେ ଏହି ଚାରିଯୋଗକୁ ନିଜ ଭିତରେ ସମନ୍ୱୟ କରିପାରିବେ । ଚାରିଯୋଗର ସମନ୍ୱୟ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ପରିକଳ୍ପିତ ରାମକୃଷ୍ଣ ସଂଘର ପ୍ରତୀକରେ ସୁନ୍ଦର ଭାବରେ ଚିତ୍ରିତ ହୋଇଛି ।
୨୪. ମୁଁ ସାଧାରଣତଃ ବ୍ରହ୍ମଚାରୀ ଜୀବନ ବିଷୟରେ ଅଧିକ ଜାଣିବାକୁ ଚାହୁଁଛି । କୌଣସି ମାର୍ଗଦର୍ଶିକା କିମ୍ବା ସୁପାରିଶ କରାଯାଇଥିବା ପଠନ ସାମଗ୍ରୀ ଅଛି କି ?
ବିଭିନ୍ନ ଉତ୍ସରୁ ସଂକଳିତ ସ୍ୱାମୀ ବିବେକାନନ୍ଦଙ୍କର ବ୍ରହ୍ମଚର୍ଯ୍ୟ (ସଂଯମ ବା ବ୍ରହ୍ମଚାରୀ) ଉପରେ ଶିକ୍ଷା ଏଠାରେ ଉଲ୍ଲେଖ କରାଯାଇଛି । ଏହା ସହିତ, ନିମ୍ନରେ ଦିଆଯାଇଥିବା ଦୁଇଟି ପୁସ୍ତକରେ ଆପଣ ଅତ୍ୟନ୍ତ ଉପଯୋଗୀ ମାର୍ଗଦର୍ଶିକା ପାଇବେ:
- Youth! Arise Awake and Know Your Strength: ସ୍ୱାମୀ ଶ୍ରୀକାନ୍ତାନନ୍ଦଙ୍କ ଦ୍ୱାରା ଲିଖିତ—Chapter on Strength of Brahmacharya.
- Spiritual Practice: ସ୍ୱାମୀ ଅଶୋକାନନ୍ଦଙ୍କ ଦ୍ୱାରା ଲିଖିତ—Chapter on Brahmacharya
୨୫. ମୁଁ ଯୋଗ ଦେବା ପରେ ମୋତେ ସାହାଯ୍ୟ କରିବାକୁ ସଂଘରେ କୌଣସି ଆଧ୍ୟାତ୍ମିକ ଗୁରୁ ଅଛନ୍ତି କି ?
ହଁ, ଯଦି ଆପଣ ସେମାନଙ୍କ ନିକଟକୁ ଯାଆନ୍ତି ତେବେ ବରିଷ୍ଠ ସନ୍ନ୍ୟାସୀମାନେ ଆପଣଙ୍କ ସନ୍ନ୍ୟାସ-ଜୀବନର ପ୍ରତ୍ୟେକ ଦିଗରେ ଆପଣଙ୍କର ମାର୍ଗଦର୍ଶନ କରିବେ । ଆପଣ ସଠିକ୍ ପଥରେ ଅଛନ୍ତି କି ନାହିଁ ତାହା ଦେଖିବା ପାଇଁ ମଧ୍ୟ ସେମାନେ ଆପଣଙ୍କ ଉପରେ ଦୃଷ୍ଟି ରଖିବେ ।
୨୬. ମୋର ଏପର୍ଯ୍ୟନ୍ତ କୌଣସି ଆଧ୍ୟାତ୍ମିକ-ଦୀକ୍ଷା ହୋଇ ନାହିଁ । ମୁଁ କ’ଣ କରିବି ?
ମନ୍ତ୍ରଦୀକ୍ଷା ବା ଆଧ୍ୟାତ୍ମିକ-ଦୀକ୍ଷା ହେଉଛି ଏକ ପବିତ୍ର ଅନୁଷ୍ଠାନ ଯେଉଁଥିରେ ଗୁରୁ ଜଣେ ଆଧ୍ୟାତ୍ମିକ ସାଧକଙ୍କୁ ଏକ ମନ୍ତ୍ର (ଭଗବାନଙ୍କର ପବିତ୍ର ନାମ) ପ୍ରଦାନ କରନ୍ତି । ସେହି ମନ୍ତ୍ରକୁ କିପରି ଜପ କରିବାକୁ ହୁଏ ଏବଂ ଧ୍ୟାନର ପଦ୍ଧତି (ଉପାସନା) ମଧ୍ୟ ଗୁରୁ ଶିକ୍ଷା ଦିଅନ୍ତି । ଆମ ସଂଘରେ କେବଳ ପ୍ରେସିଡେଣ୍ଟ୍ ଓ ଭାଇସ୍-ପ୍ରେସିଡେଣ୍ଟ୍ ସ୍ୱାମୀଜୀମାନେ ମନ୍ତ୍ରଦୀକ୍ଷା ଦିଅନ୍ତି । ଯଦି ଆପଣ ସେମାନଙ୍କ ମଧ୍ୟରୁ କାହାଠାରୁ ମନ୍ତ୍ରଦୀକ୍ଷା ଗ୍ରହଣ କରି ନାହାନ୍ତି, ତେବେ ଆପଣ ସଂଘରେ ଯୋଗଦେବାର କିଛି ଦିନ ପରେ ସେଥିପାଇଁ ବ୍ୟବସ୍ଥା କରାଯିବ ।
୨୭. ମୁଁ ସଂଘର ଯେକୌଣସି ଶାଖାରେ ଯୋଗ ଦେଇପାରିବି କି ?
କିଛି ବ୍ୟତିକ୍ରମ ବ୍ୟତୀତ, ଦେଶରେ ଏବଂ ବିଦେଶରେ ଥିବା ଆମର ସମସ୍ତ ଶାଖା ନବାଗତମାନଙ୍କୁ ଗ୍ରହଣ କରନ୍ତି । ଆପଣ ବେଲୁଡ଼ ମଠରେ ମଧ୍ୟ ଯୋଗ ଦେଇପାରିବେ । ନବାଗତଙ୍କ ପାଇଁ ଆମର ବେଲୁଡ଼ ମଠରେ ଏକ ପ୍ରି-ପ୍ରୋବେସନର୍ସ ଟ୍ରେନିଂ ସେଣ୍ଟର୍ (PPTC) ଅଛି । କିନ୍ତୁ ଯେପରି ପୂର୍ବରୁ ଉଲ୍ଲେଖ କରାଯାଇଛି, ଆପଣ ଯେଉଁଠାରେ ବି ଯୋଗ ଦିଅନ୍ତୁ ନା କାହିଁକି, ଆପଣ ବେଲୁଡ଼ ମଠର ଟିସିରେ ଦୁଇ ବର୍ଷ ବିତାଇବାର ସୁଯୋଗ ପାଇବେ ।
୨୮. ବେଲୁଡ଼ ମଠରେ ଯୋଗଦେବାର ବିଶେଷତ୍ୱ କ’ଣ ?
ବେଲୁଡ଼ ମଠ ହେଉଛି ରାମକୃଷ୍ଣ ସଂଘର ହୃଦୟ, ଯେଉଁଠାରେ ମୁଖ୍ୟ ମଠ ଅବସ୍ଥିତ । ଏଠାରେ ସ୍ୱାମୀ ବିବେକାନନ୍ଦ ଏବଂ ଶ୍ରୀରାମକୃଷ୍ଣଙ୍କ ଅନ୍ୟ ସନ୍ନ୍ୟାସୀ ଶିଷ୍ୟମାନେ ବାସ କରୁଥିଲେ । ଏହା ମଧ୍ୟ ଆମର ମୁଖ୍ୟ କାର୍ଯ୍ୟାଳୟ । ଏହାର ପବିତ୍ର ପରିବେଶ ଯୋଗୁଁ ଅନେକେ ସେମାନଙ୍କର ସନ୍ନ୍ୟାସ-ଜୀବନ ଏଠାରେ ଆରମ୍ଭ କରିବାକୁ ଇଚ୍ଛା କରନ୍ତି । PPTC-ରେ ନୂତନ ପ୍ରବେଶକାରୀମାନଙ୍କୁ ଛଅରୁ ବାର ମାସ ରଖିବା ପରେ, ସେମାନଙ୍କୁ ବିଭିନ୍ନ ଶାଖା କେନ୍ଦ୍ରରେ ନିଯୁକ୍ତ କରାଯାଏ ।
୨୯. ମୋ ନିକଟ ଅଞ୍ଚଳରେ ଏକ ରାମକୃଷ୍ଣ ଆଶ୍ରମ ଅଛି । ମୁଁ ସେଠାରେ ଯୋଗ ଦେଇପାରିବି କି ?
‘ଶ୍ରୀରାମକୃଷ୍ଣ’ କିମ୍ବା ‘ସ୍ୱାମୀ ବିବେକାନନ୍ଦ’ ନାମ ଧାରଣ କରିଥିବା ସମସ୍ତ ଆଶ୍ରମ ଆମର ଶାଖା ନୁହେଁ । ତେଣୁ ଦୟାକରି ଯାଞ୍ଚ କରନ୍ତୁ ଯେ ଆପଣ ଉଲ୍ଲେଖ କରୁଥିବା ନିର୍ଦ୍ଦିଷ୍ଟ ଆଶ୍ରମ ଆମର ଏକ ସ୍ୱୀକୃତିପ୍ରାପ୍ତ ଶାଖା କି ନୁହେଁ । ଆମର ସ୍ୱୀକୃତିପ୍ରାପ୍ତ ଶାଖାଗୁଡ଼ିକର ତାଲିକା ଆମର ୱେବସାଇଟ୍ <belurmath.org>ରୁ ପାଇପାରିବେ ।
୩୦. ମୁଁ ଆପଣଙ୍କର ଏକ ନିର୍ଦ୍ଦିଷ୍ଟ ଶାଖାକୁ ପସନ୍ଦ କରେ । ମୁଁ ସେଠାରେ ଜଣେ ସନ୍ନ୍ୟାସୀ ଭାବରେ ମୋର ବାକି ଜୀବନ ବିତାଇପାରିବି କି ?
ଆପଣ ସେହି କେନ୍ଦ୍ରରେ ସଂଘରେ ଯୋଗ ଦେଇପାରିବେ ଏବଂ ସର୍ବାଧିକ ତିନି ବର୍ଷ ପର୍ଯ୍ୟନ୍ତ ସେଠାରେ ରହିପାରିବେ । ଏହା ପରେ, ବେଲୁଡ଼ ମଠର (ଯାହା ଆମର ମୁଖ୍ୟ କାର୍ଯ୍ୟାଳୟ) ବରିଷ୍ଠ ସନ୍ନ୍ୟାସୀମାନଙ୍କ ଉପରେ ନିର୍ଭର କରେ ଯେ ସେମାନେ ଆପଣଙ୍କୁ ସଂଘର କେଉଁ ଶାଖାରେ ନିଯୁକ୍ତ କରିବେ । ଏକ ନିର୍ଦ୍ଦିଷ୍ଟ ଶାଖା କେନ୍ଦ୍ରରେ ସାରା ଜୀବନ ବିତାଇବାର ଇଚ୍ଛା ସନ୍ନ୍ୟାସୀ ଭାବନାର ପରିପନ୍ଥୀ । ତିନିବର୍ଷ ପରେ ସଂଘର ଯେକୌଣସି ଶାଖାରେ ନିଯୁକ୍ତି ପାଇବାକୁ ଆପଣଙ୍କୁ ପ୍ରସ୍ତୁତ ରହିବାକୁ ପଡ଼ିବ । ଏହା ସଂଘର ବରିଷ୍ଠ ସାଧୁମାନେ ସ୍ଥିର କରିବେ ।
୩୧. ମୁଁ ବିଦେଶରେ ପ୍ରଚାର କାର୍ଯ୍ୟ କରିବାର ସୁଯୋଗ ପାଇବି କି ?
ଆପଣ ସୁଯୋଗ ପାଇପାରନ୍ତି କିମ୍ବା ନ ପାଇପାରନ୍ତି । ମୁଖ୍ୟ କାର୍ଯ୍ୟାଳୟର କର୍ତ୍ତୃପକ୍ଷ ନିଷ୍ପତ୍ତି ନିଅନ୍ତି ଯେ କାହାକୁ ବିଦେଶକୁ ପଠାଯିବ ଏବଂ ସେମାନେ ଅନେକ ବିଷୟ ବିଚାର କରିବା ପରେ ଏହି ନିର୍ଣ୍ଣୟ ନେଇଥାଆନ୍ତି । ନିଜର ପସନ୍ଦ ଓ ନାପସନ୍ଦକୁ ତ୍ୟାଗ କରି ଏବଂ ଭଗବାନଙ୍କ ନିକଟରେ ଆତ୍ମ-ସମର୍ପଣ ଭାବନାରେ ସଂଘରେ ଯୋଗଦେବା ସର୍ବୋତ୍ତମ ।
୩୨. ସାଧାରଣ ସନ୍ନ୍ୟାସ ଏବଂ ବିଶେଷ ଭାବରେ ରାମକୃଷ୍ଣ ସଂଘ ବିଷୟରେ ଅଧିକ ଜାଣିବା ପାଇଁ ଆପଣ ଅନ୍ୟ କୌଣସି ପୁସ୍ତକ ପଢିବାକୁ ପରାମର୍ଶ ଦେବେ କି ?
ଉପରୋକ୍ତ ପ୍ରଶ୍ନ ନଂ ୧୦ର ଉତ୍ତରରେ ସୁପାରିଶ କରାଯାଇଥିବା ପୁସ୍ତକଗୁଡ଼ିକ ହିଁ ଯଥେଷ୍ଟ । ତଥାପି, ଆପଣ ନିମ୍ନଲିଖିତ ଦୁଇଟି ପୁସ୍ତକ ପଢ଼ିପାରନ୍ତି :
- The Glory of Monastic Life: ସ୍ୱାମୀ ଭଜନାନନ୍ଦଙ୍କ ଦ୍ୱାରା ଲିଖିତ।
- Monasticism—Ideal and Traditions: A Vedanta Kesari Presentation
୩୩. ମୁଁ ଯଦି ସଂଘରେ ରହିବା ଜାରି ରଖିବାକୁ ଅସମର୍ଥ ହୁଏ, ତେବେ ମୁଁ ଛାଡ଼ିପାରିବି କି ?
ହଁ, ଆପଣ ଆପଣଙ୍କର ସନ୍ନ୍ୟାସ-ଜୀବନର ଯେକୌଣସି ସମୟରେ ସଂଘ ଛାଡ଼ିପାରିବେ । ଲୋକମାନେ ନିଜ ଇଚ୍ଛାରେ ଏହି ଜୀବନରେ ପ୍ରବେଶ କରନ୍ତି ଏବଂ ନିଜ ଇଚ୍ଛାରେ ମଧ୍ୟ ବାହାରି ପାରିବେ । ଯଦି କେହି ଛାଡ଼ି ଯାଆନ୍ତି ତେବେ ଉଭୟ ପାର୍ଶ୍ୱରେ କୌଣସି ଆଇନଗତ କିମ୍ବା ଆର୍ଥିକ ଦାୟିତ୍ୱ ବାଧ୍ୟତାମୂଳକ ହେବ ନାହିଁ ! ସଂଘ ଛାଡ଼ିବା ଆପଣଙ୍କର ଆଧ୍ୟାତ୍ମିକ ଅନୁସନ୍ଧାନରେ ପୂର୍ଣ୍ଣଚ୍ଛେଦ ହେବା ଉଚିତ ନୁହେଁ । ଆପଣ ଯେଉଁଠାରେ ରୁହନ୍ତୁ ନା କାହିଁକି ସେଠାରେ ସେଗୁଡ଼ିକୁ ଜାରି ରଖିବେ ।
୩୪. ଠିକ୍ ଅଛି । ମୋର ସମସ୍ତ ପ୍ରଶ୍ନର ଉତ୍ତର ଦିଆଗଲା । କିନ୍ତୁ ମୁଁ ଏବେ ବି ନିଶ୍ଚିତ ନୁହେଁ ଯେ ମୁଁ ସଂଘରେ ଯୋଗ ଦେବି କିମ୍ବା ପରିବାରରେ ଏକ ସାଧାରଣ ଜୀବନ ବିତାଇବି । ଆପଣ ମୋତେ ସାହାଯ୍ୟ କରିପାରିବେ କି ?
ଏହା ସମ୍ପୂର୍ଣ୍ଣରପେ ଏକ ବ୍ୟକ୍ତିଗତ ନିଷ୍ପତ୍ତି । ଆପଣଙ୍କର ପ୍ରକୃତ ଆଗ୍ରହ କେଉଁଥିରେ ଅଛି ତାହା ବୁଝିବା ପାଇଁ ଆପଣଙ୍କର ନିଜ ମନକୁ ଯତ୍ନ ସହକାରେ ପର୍ଯ୍ୟବେକ୍ଷଣ କରନ୍ତୁ । ଆପଣଙ୍କ ମନକୁ ଦୃଢ଼ ଓ ଶକ୍ତିଶାଳୀ କରିବା ପାଇଁ ଈଶ୍ୱରଙ୍କ ନିକଟରେ ଆନ୍ତରିକତାର ସହିତ ପ୍ରାର୍ଥନା କରନ୍ତୁ । ଆପଣ ବିଜ୍ଞ ଲୋକମାନଙ୍କ ସହିତ ମଧ୍ୟ ଆଲୋଚନା କରିପାରିବେ ଏବଂ ଏହି ବିଷୟରେ ସେମାନଙ୍କର ପରାମର୍ଶ ଲୋଡ଼ିପାରିବେ; କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ଆପଣଙ୍କ ଭିତରୁ ଆସିବା ଉଚିତ ।
ରାମକୃଷ୍ଣ ସଂଘରେ ଯୋଗଦାନ ପୂର୍ବରୁ ପଠନୀୟ କେତେକ ପୁସ୍ତକସୂଚୀ (ରାମକୃଷ୍ଣ ମଠ, ଭୁବନେଶ୍ୱରରୁ ପ୍ରକାଶିତ)
୧. ଶ୍ରୀରାମକୃଷ୍ଣ ଲୀଳାପ୍ରସଙ୍ଗ — ସ୍ୱାମୀ ସାରଦାନନ୍ଦ ରଚିତ
୨. ଶ୍ରୀରାମକୃଷ୍ଣ କଥାମୃତ — ଶ୍ରୀମ ରଚିତ
୩. ଶ୍ରୀମା’ସାରଦାଦେବୀଙ୍କ ଜୀବନୀ — ସ୍ୱାମୀ ଗମ୍ଭୀରାନନ୍ଦ ରଚିତ
୪. ଶ୍ରୀମା’ ସାରଦାଦେବୀଙ୍କ ସ୍ମୃତିକଥା
୫. ଯୁଗନାୟକ ବିବେକାନନ୍ଦ — ସ୍ୱାମୀ ଗମ୍ଭୀରାନନ୍ଦ ରଚିତ
୬. ଶ୍ରୀକୃଷ୍ଣଙ୍କ ନିତ୍ୟସଖା ସ୍ୱାମୀ ବ୍ରହ୍ମାନନ୍ଦ
୭. ଶ୍ରୀରାମକୃଷ୍ଣ ଭକ୍ତମାଳିକା
୮. କର୍ମଯୋଗ — ସ୍ୱାମୀ ବିବେକାନନ୍ଦ
୯. ରାଜଯୋଗ — ସ୍ୱାମୀ ବିବେକାନନ୍ଦ
୧୦. ଭକ୍ତିଯୋଗ — ସ୍ୱାମୀ ବିବେକାନନ୍ଦ
୧୧. ଜ୍ଞାନଯୋଗ — ସ୍ୱାମୀ ବିବେକାନନ୍ଦ
୧୨. ବିବେକାନନ୍ଦ ସଞ୍ଚୟନ—ସ୍ୱାମୀ ବିବେକାନନ୍ଦ